ଯଥାତଥ - ରଞ୍ଜନ କୁମାର ବ୍ରହ୍ମା

ଗୁଲୁ ଗେଲୁ ମାଆ ଦୁଇ ପଡୋଶୀ
       ଗପୁଥିଲେ ବସି ଦୁହେଁ ଏକାଠି ।
ସହସା ଉଠିଲେ ଗୁଲୁ ମାଆ ସେଠୁ
    ଗେଲୁ ବାପା ଯେବେ ଖୋଲିଲେ ଟି ଭି ।।

କ'ଣ କରିବା ସମ୍ବାଦ ଖୋଲିଲେ
       ଅଧିକାଂଶ ଖାଲି ଜଳ ବିବାଦ ।
ଆମେ ଭଡାଟିଆ ତୁମରି ରାଜ୍ୟେ
       ସମ୍ପର୍କ ସାଜିଛି ନଦୀର ବନ୍ଧ ।।

ପ୍ରତିନିଧି ଯଦି ମାନ ବୁଝନ୍ତେ
      ସମ୍ପର୍କ ହୁଅନ୍ତା ବେଶ ମଧୁର ।
ମାଟି ପାଣି ଵାୟୁ ତରୁ କେବେ କି
     ହୁଅନ୍ତି କାହାର  ଆପଣା ପର ।।

 ଦିଅନ୍ତି ବୋଲି ସଦା ଘେନିଥାଉ
      ମୋର ଭାବୁ ଯିଏ କାହାର ନାହିଁ ।
ପ୍ରକୃତି ଦତ୍ତକୁ ନର ପ୍ରକୃତି
      ଅଙ୍କ କଷି ମହାଦୀନ ହୁଅଇ ।।

ଘରର ପାଚେରି ବିଲର ହିଡ଼
       ଅପସରି ଯାଉ ସଂହତି ପାଇଁ ।
ଏସବୁ ଏହ୍ନେ ଆବଶ୍ୟକ ଅଛି
       ଜଗତ ଜାତିର ମଙ୍ଗଳ ପାଇଁ ।।

ଦେବକୀର କୋଳ ଯଶୋଦା ଗେଲ
       ରହିଲାକି ତାହା ସଦା ବେଳକୁ ।
ରହିଯିବ କଥା ହଟି ଯିବ ବାଧା
      କଲେ ଉପଯୋଗ ଥିବା ଧନକୁ ।।

ଥିଲା ଦିନେ ଯା'ର ଅମରକଣ୍ଟକ
        ସେଇଠି ଅଛି ହେଲେ ତା'ର ନାହିଁ  ।
ମୋର(୨) ବୋଲି କାହିଁ କଳି କରିବା
        ଆମ ବୋଲି ଚାଲ ଯତନ  କରି ।।

ଦାଣ୍ଡ ଦୁଆରେ କୁହାକୁହି ହେଲେ
       ନିଜ ମରଦଙ୍କୁ ଦେବେ ବୁଝାଇ ।
ଭୁଲ ନ କରି ଏକତ୍ର ରୁହନ୍ତୁ
       ଯୋଡି ଦୁଇ ହାତ ଛାତିକୁ ଛାତି ।।

============
ଶିକ୍ଷକ, ସି ଆର ସି ସି

Post a Comment

0 Comments