ଭାଗବତ କଥା - "ନାରଦଙ୍କର ଦ୍ବାରକା ଦର୍ଶନ" - ନରେନ୍ଦ୍ର ପ୍ରସାଦ ବେହେରା

ଶ୍ରୀଶୁକଦେବ ରାଜା ପରୀକ୍ଷିତଙ୍କ ଆଗରେ ଦ୍ବାରକା ସମୃଦ୍ଧି ଓ ସୌନ୍ଦର୍ଯ୍ୟର କଥା ଏବଂ ଦେବର୍ଷି ନାରଦଙ୍କର ଦ୍ବାରକାପୁରୀ ଦର୍ଶନ କଥା ବର୍ଣ୍ଣନା କରୁଛନ୍ତି । 

ବିଶ୍ବକର୍ମାଙ୍କ ଦ୍ବାରା ସକଳ ପ୍ରକାର ବିଭବରେ ପରିପୂର୍ଣ୍ଣ ବଡ ବଡ ଅଟାଳିକା ନଗରୀର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ନଗରବାସୀ ଦେଖିବାକୁ ଖୁବ ସୁନ୍ଦର ଓ ସୁସ୍ଥ ସବଳ । ରାଜପଥର ଦୁଇ ପାର୍ଶ୍ବରେ ପୁଷ୍ପ ବାଟିକିମାନ ଶୋଭା ପାଉଛି । ନାରଦ ଜାଣନ୍ତି,ଶ୍ରୀକୃଷ୍ଣ ତାଙ୍କର ପତ୍ନୀମାନଙ୍କ ସହ ଦ୍ବାରକାରେ ବାସ କରନ୍ତି । ତାଙ୍କର ଦିନସାରା କିପରି କଟୁଛି, ତାହା ଦେଖିବାକୁ ନାରଦଙ୍କ ମନରେ କୌତୁହଳ ଜାତ ହେଲାରୁ  ସେ ଦିନେ ଯାଇ ପହଞ୍ଚିଲେ ଦ୍ବାରକା ନଗରୀରେ । ସେ ରାଜପ୍ରସାଦରେ ପହଞ୍ଚି ଦେଖିଲେ ଯେ ସେଠାରେ ଷୋଳ ହଜାର କୋଠରୀ ରହିଛି । ସେ ପ୍ରଥମ କୋଠରୀ ମଧ୍ଯରେ ପ୍ରବେଶ କରି ଦେଖିଲେ ରୁକ୍ମଣୀ ଦେବୀ ଶ୍ରୀକୃଷ୍ଣଙ୍କୁ ଚାମର ଦ୍ବାରା ବ୍ଯଜନ କରୁଛନ୍ତି । ନାରଦଙ୍କୁ ଦେଖି ଶ୍ରୀକୃଷ୍ଣ ପଲଙ୍କରୁ ଉଠିପଡି ନାରଦଙ୍କୁ ଅଭ୍ଯର୍ଥନା ଜଣାଇଲେ ଏବଂ ନାରଦଙ୍କ ପାଦ ଧୋଇ ଦେଇ ପାଦଧୁଆ ପାଣି ମଥାରେ ମାରିଲେ,କାରଣ ବର୍ତ୍ତମାନ ଶ୍ରୀକୃଷ୍ଣ ଜଣେ ଗୃହସ୍ଥ ଓ ଅତିଥି ସେବା ତାଙ୍କର କର୍ତ୍ତବ୍ୟ । ନାରଦଙ୍କର ଆଗମନର କାରଣ ଜାଣିବାକୁ ଚାହିଁବାରୁ ନାରଦ କହିଲେ ପ୍ରଭୁ,ଆପଣଙ୍କୁ ଦର୍ଶନ କରିବାକୁ ଆସିଥିଲି ସେହି ମୋର ପରମ ସୌଭାଗ୍ୟ । ହେ ଅଖିଳ ବ୍ରହ୍ମାଣ୍ଡର ନାୟକ, ଜଗତପତି,ଭକ୍ତଜନର ପରମ ଆଶ୍ରୟ,ଆପଣଙ୍କର ଶ୍ରୀଚରଣ ବ୍ରହ୍ମା ଆଦି ଦେବତାମାନେ ହୃଦୟରେ ଧ୍ଯାନ କରନ୍ତି । ସଂସାରକୂପ ମଧ୍ଯରେ ପତିତ ମନୁଷ୍ୟର ଉଦ୍ଧାର ନିମନ୍ତେ ଥିବା ଚରଣଯୁଗଳ ଆଜି ମୁଁ ଦର୍ଶନ କଲି । ସେହି ମୋର ମହା ସୌଭାଗ୍ୟ । ପ୍ରଭୁ,ଅନୁଗ୍ରହ କରନ୍ତୁ, ଯେପରି ଚିରକାଳ ଏଇ ଶ୍ରୀଚରଣରେ ମୋର ମତି ରହିଥାଉ । ଏହା କହି ନାରଦ ଆଉ ଗୋଟିଏ କୋଠରୀ ମଧ୍ଯରେ ପ୍ରବେଶ କରି ଦେଖନ୍ତି ତ ଶ୍ରୀକୃଷ୍ଣ ଅନ୍ଯ ଜଣେ ପତ୍ନୀଙ୍କ ସହିତ ବସି କଥାବାର୍ତ୍ତା କରୁଛନ୍ତି । ଶ୍ରୀକୃଷ୍ଣ ନାରଦଙ୍କୁ ଦେଖି ଉଠିପଡି ତାଙ୍କର ପାଦ ଧୋଇ ଦେଲେ ଏବଂ ଆଗମନର କାରଣ ଜାଣିବାକୁ ଚାହିଁଲେ । ନାରଦ ବିସ୍ମିତ ହୋଇପଡିଲେ । ଏଠାରେ ମଧ୍ଯ ଶ୍ରୀକୃଷ୍ଣ  ?  କି ଆଶ୍ଚର୍ଯ୍ୟ ? ନାରଦ ବିଦାୟ ନେଇ ଚାଲିଗଲେ ଏବଂ ଅନ୍ଯ ଏକ କୋଠରୀ ମଧ୍ଯରେ ପ୍ରବେଶ କଲେ । ଦେଖିଲେ ଶ୍ରୀକୃଷ୍ଣ ସ୍ନାନ କରିସାରି ବେଶଭୂଷା ହେଉଛନ୍ତି । ଜଣେ ପତ୍ନୀ ତାଙ୍କୁ ସଜାଇ ଦେଉଛନ୍ତି । ନାରଦ କିଛି ବୁଝିପାରିଲେ ନାହିଁ । ସେ ଅନ୍ଯ ଏକ କୋଠରୀ ମଧ୍ଯରେ ପ୍ରବେଶ କରି ଦେଖନ୍ତି ତ ଶ୍ରୀକୃଷ୍ଣ ମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛନ୍ତି ।
ଏହିପରି ନାରଦ ପ୍ରତ୍ୟେକ କୋଠରୀରେ ଶ୍ରୀକୃଷ୍ଣଙ୍କୁ ଦେଖି ଭାବିଲେ ଲୀଳାମୟ ଶ୍ରୀ ହରିଙ୍କର ଅପାର ଲୀଳା । ଏକାଧାରରେ ସେ ହେଉଛନ୍ତି ପ୍ରେମର ମୂରତି ଗୋପୀଜନ-ମନ-ହରଣକାରୀ,ସେ ପୁଣି ଗୃହସ୍ଥ ଓ ବହୁ ପତ୍ନୀଙ୍କର ପତି,ସେ ପୁଣି ରାଜ୍ଯ ଶାସକ ଓ ବୀରଯୋଦ୍ଧା । ଶ୍ରୀକୃଷ୍ଣ ହେଉଛନ୍ତି ପରିପୂର୍ଣ୍ଣ ମାନବ । ତାଙ୍କର ଅଚିନ୍ତ୍ଯ ଶକ୍ତିର ଧାରଣା କରିବା ଦୁରୂହ ବ୍ଯାପାର । ଲୀଳାମୟ ଶ୍ରୀହରି ମନୁଷ୍ୟ ରୂପରେ ଧରାଧାମକୁ ଆସିଛନ୍ତି ଲୀଳା କରିବା ପାଇଁ । ନାରଦ ବିସ୍ମିତ ହୋଇ କହିଲେ-ହେ ଯୋଗେଶ୍ବର, ଆପଣଙ୍କର ଯୋଗମାୟା ଦର୍ଶନ କରି କୃତାର୍ଥ ହେଲି । ପ୍ରଭୁ,କୃପା କରନ୍ତୁ,ଏଠାରୁ ଫେରିଯାଇ ଯେପରି ଅହରହ ଆପଣଙ୍କର ଭୁବନମୋହନ ଲୀଳା ସହସ୍ର ତୁଣ୍ଡରେ ବର୍ଣ୍ଣନା କରିବି । ଏହା କହି ବୀଣା ବାଦନ କରି ହରିଗୁଣଗାନ କରି ଦ୍ବାରକାପୁରୀରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । 
=======================
ସଂଗ୍ରହକାରୀ- ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର

Post a Comment

0 Comments