ମହାରାଜା ପରୀକ୍ଷିତଙ୍କୁ କିଏ କେଉଁ ପୁରାଣ କଥା ଶୁଣାଇ ଥିଲେ - ନରେନ୍ଦ୍ର ପ୍ରସାଦ ବେହେରା

କଳି-କଳୁଷ ନିବାରଣ ନିମନ୍ତେ ଶୌନକାଦି ଋଷିଗଣ ନୈମିଷାରଣ୍ଯରେ ଏକତ୍ରୀତ ହୋଇ ବହୁଦିନ ବ୍ଯାପୀ ଏକ ଯଜ୍ଞାନୁଷ୍ଠାନ ଆରମ୍ଭ କରନ୍ତି । ଏହି ସମାବେଶରେ ଉପସ୍ଥିତ ହୁଅନ୍ତି ରୋମହର୍ଷଣ ମୁନିଙ୍କ ପୁତ୍ର ସୂତ-ଉଗ୍ରଶ୍ରବା । ତାଙ୍କୁ ଆଦର ଅଭ୍ଯର୍ଥନା ପୂର୍ବକ ଆସନରେ ବସାଇ ଋଷିଗଣ ତାଙ୍କଠାରୁ ହରିକଥା ଶୁଣିବାକୁ ଇଛାପ୍ରକାଶ କରନ୍ତି । ବିଶେଷତଃ ବସୁଦେବ-ଦେବକୀଙ୍କର ପୁତ୍ର ରୂପେ ଜନ୍ମ ହୋଇ ଭଗବାନ ଶ୍ରୀକୃଷ୍ଣ ଯେଉଁସବୁ ମର୍ତ୍ତ୍ଯଲୀଳା କରିଥିଲେ, ତାହା ଶୁଣିବାକୁ ଆଗ୍ରହ ପ୍ରକାଶ କଲେ ।

ଗଙ୍ଗାନଦୀ କୂଳରେ,ଅଭିଶାପଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ବ୍ଯାସପୁତ୍ର ଶ୍ରୀଶୁକଦେବ ଯେଉଁ ଭାଗବତ ପ୍ରସଙ୍ଗ ଶୁଣାଇଥିଲେ , ସେଠାରେ ନିମନ୍ତ୍ରିତ ଥିବା ଋଷିମାନଙ୍କର ସମାବେଶରେ ସେ ଉପସ୍ଥିତ ଥାଇ ଯାହା ଶ୍ରବଣ କରିଥିଲେ ଏବଂ ତାହା ତାଙ୍କର ମୁଖସ୍ଥ ଥିବାରୁ , ସୂତମୁନି ଶୁଣାଇବାକୁ ଆରମ୍ଭ କଲେ । ସେ କହିଲେ, ହେ ମୁନିଗଣ,ଆପଣମାନେ ଏକ ଅତି ଉତ୍ତମ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି । ହରି କଥାରେ ଶ୍ରଦ୍ଧା ନ ହେଲେ,ସକଳ ଅନୁଷ୍ଠାନ ହିଁ ବୃଥା ଶ୍ରମ ମାତ୍ର । ସକଳ ବେଦର ପ୍ରତିପାଦ୍ଯ ବାସୁଦେବ,ସକଳ ଯଜ୍ଞର ଲକ୍ଷ୍ୟ ବାସୁଦେବ, ସକଳ ଯୋଗର ଲକ୍ଷ୍ୟ ବାସୁଦେବ ଏବଂ ଜ୍ଞାନ, ତପସ୍ଯା ଓ ଧର୍ମ ବାସୁଦେବଙ୍କଠାରେ ହିଁ ନିହିତ ।
ସୂତମୁନି କହିଲେ, ହେ ମୁନିଗଣ,ବାସୁଦେବ ଶ୍ରୀକୃଷ୍ଣ ହିଁ ଲୀଳାମୟ ଶ୍ରୀହରି,ଯିଏ କି ଯୁଗେ ଯୁଗେ ଅବତାର ରୂପେ ଧରାଧାମରେ ଅବତୀର୍ଣ୍ଣ ହୁଅନ୍ତି । ମହାମତି ବ୍ଯାସଦେବ ଶ୍ରୀଭଗବାନଙ୍କର ଲୀଳାକଥା ଏହି ଭାଗବତ ପୁରାଣ ରଚନା କରିଥିଲେ ଏବଂ ପୁତ୍ର ଶୁକଦେବଙ୍କୁ ତାହା ଶିକ୍ଷା ଦେଇଥିଲେ । ଶ୍ରୀକୃଷ୍ଣଙ୍କ ତିରୋଧାନ ପରେ ଏହି କଳିଯୁଗର କଳୁଷ କାଳିମା ସଂସାରରେ ବ୍ଯାପିଯାଇଥିବାରୁ ଭାଗବତ ପୁରାଣ ହିଁ ଜ୍ଞାନସୂର୍ଯ୍ୟର ଆଲୋକ ପ୍ରଦାନ କରିଛି । ଶ୍ରୀଶୁକଦେବ,ମହାରାଜା ପରୀକ୍ଷିତଙ୍କୁ ଏହି ପୁରାଣ କଥା ଶୁଣାଇଥିଲେ । ମୁଁ ସେଠାରେ ଉପସ୍ଥିତ ଥାଇ ଯାହା ଅବହିତ ହୋଇଥିଲି,ତାହା ଆଜି ଆପଣମାନଙ୍କ ନିକଟରେ କୀର୍ତ୍ତନ କରୁଛି, ମନଦେଇ ଶୁଣନ୍ତୁ । ଅବତାର--ସୃଷ୍ଟି ଆରମ୍ଭରେ ଭଗବାନ ଲୋକ-ସୃଷ୍ଟି ନିମନ୍ତେ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ର,ପଞ୍ଚ ମହାଭୂତ ଓ ମନ,ଏହି ଷୋଳଟି ଅଂଶରେ ଖଚିତ ପୁରୁଷ ମୂର୍ତ୍ତି ଧାରଣ କରନ୍ତି । ସେହି ପରମ ପୁରୁଷ ବିଷ୍ଣୁ ହେଉଛନ୍ତି ସମସ୍ତ ଅବତାରଙ୍କ ଉତ୍ସସ୍ଥଳ । ସାଧାରଣତଃ ଦଶଟି ଅବତାର କଥା ଆମେ ଜାଣୁ । କିନ୍ତୁ ଭାଗବତ ୨୪ଟି ଅବତାରଙ୍କ କଥା ଉଲ୍ଲେଖ କରି ମଧ୍ଯ,ତାପରେ ଯୋଗ କରିଛନ୍ତି ଅନ୍ଯ ଅବତାରଙ୍କ କଥା । ଅକ୍ଷୟ ସରୋବରରୁ ଜଳସ୍ରୋତମାନ ନିର୍ଗତ ହେବାପରି , ସୃଷ୍ଟିର ଉତ୍ସସ୍ଥଳ ଶ୍ରୀହରିଙ୍କଠାରୁ ଅସଂଖ୍ଯ ଅବତାର ଆବିର୍ଭୂତ  ହୁଅନ୍ତି । କେହି କେହି ତାଙ୍କର ଅଂଶ , ଆଉ କେହି କେହି ତାଙ୍କର କଳା ବା ବିଭୂତି । କିନ୍ତୁ ଶ୍ରୀକୃଷ୍ଣ ହେଉଛନ୍ତି ସ୍ବୟଂ ଭଗବାନ । ସେ ଯୁଗେ ଯୁଗେ ଅବତୀର୍ଣ୍ଣ ହୋଇ ଦୈତ୍ଯପୀଡିତ ଧରା ଓ ଲୋକମାନଙ୍କୁ ରକ୍ଷା କରନ୍ତି । ସାଧାରଣତଃ ଯେଉଁ ଦଶଟି ଅବତାରଙ୍କ କଥା କୁହାଯାଏ, ସେମାନେ ହେଲେ: ମତ୍ସ୍ଯ, କୂର୍ମ,ବରାହ,ନରସିଂହ, ବାମନ,ପରଶୁରାମ,ରାମଚନ୍ଦ୍ର, ବଳରାମ, ବୁଦ୍ଧ ଓ କଳ୍କି । କିନ୍ତୁ କେଶବ ହିଁ ଏହି ସବୁ ଅବତାର ରୂପ ଧାରଣ କରିଛନ୍ତି । 
-----------------------------------
ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments