କାହାଠାରୁ କେଉଁ ବିଷୟର ଅବଗତ ହେବାପାଇଁ ଉଦ୍ଧବ ବିଦୁରକୁ କହିଥିଲେ ।

ଜିଜ୍ଞାସୁ ରାଜା ପରୀକ୍ଷିତଙ୍କର ଭାଗବତକଥା ଶୁଣିବାରେ ଆଗ୍ରହ ଦେଖି ଶ୍ରୀଶୁକଦେବ ଅତ୍ଯନ୍ତ ଆନନ୍ଦିତ ହେଲେ । ସାତଦିନ ମଧ୍ଯରେ ତାଙ୍କର ମୃତ୍ୟୁ ହେବ,କିନ୍ତୁ ସେଥିପ୍ରତି ରାଜାଙ୍କ ମନରେ ତିଳେମାତ୍ର ଭୟ ନାହିଁ । ଶୁକଦେବ ପ୍ରଥମେ ପାଣ୍ଡବମାନଙ୍କର ଅତୀତ ଦିନର କଥାସବୁ କହିବାକୁ ଆରମ୍ଭ କଲେ । 

ଅନ୍ଧ ରାଜା ଧ୍ରୃତରାଷ୍ଟ୍ର ନିଜର ଅସାଧୁ ପୁତ୍ରମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଅନେକ ଅନ୍ଯାୟ କାର୍ଯ୍ୟକୁ ପ୍ରଶୟ ଦେଇଥିଲେ । ନିଜର ସାନଭାଇ ପାଣ୍ଡୁଙ୍କ ଜଉରେ ନିର୍ମିତ ଗୃହରେ ପୋଡି ମାରିଦେବା ପାଇଁ ଯେଉଁ ଷଡଯନ୍ତ୍ର ହୋଇଥିଲା, ସେଥିପ୍ରତି ସେ ସମ୍ମତି ଦେଇଥିଲେ । ପ୍ରକାଶ୍ଯ ରାଜସଭାରେ କୁଳବଧୂ ଦ୍ରୌପଦୀଙ୍କୁ ବିବସ୍ତ୍ର କରିବାର କୂକାର୍ଯ୍ଯକୁ ମଧ୍ଯ ଧ୍ରୃତରାଷ୍ଟ୍ର ବାରଣ କରି ନ ଥିଲେ । କପଟ ପଶାଖେଳର ପାଣ୍ଡବମାନଙ୍କୁ ହରାଇ ସର୍ବସ୍ବାନ୍ତ କରି ଦୁର୍ଯ୍ଯୋଧନ ସେମାନଙ୍କୁ ବନବାସ ଦେଇଥିଲେ । ଅନ୍ଧରାଜ ଧ୍ରୃତରାଷ୍ଟ୍ର ସବୁକିଛି ଜାଣି ସୁଦ୍ଧା ନୀରବ ରହିଥିଲେ । ଧୃତରାଷ୍ଟ୍ରଙ୍କର ଅନ୍ଯ ଜଣେ ଭ୍ରାତା ବିଦୁର ଥିଲେ ଜଣେ ନ୍ଯାୟ ପରାୟଣ ବ୍ଯକ୍ତି । ସେ ଅନ୍ଧରାଜାଙ୍କୁ ପାପପଥରୁ ଫେରାଇ ଆଣିବା ପାଇଁ ଚେଷ୍ଟା କରିଥିଲେ । ଏପରିକି ତାଙ୍କର ଖଳ ପ୍ରକୃତିର ଜ୍ଯେଷ୍ଟପୁତ୍ର ଦୁର୍ଯ୍ଯୋଧନକୁ ତତ୍ଯାଗ କରିଦେବା ନିମନ୍ତେ ମଧ୍ଯ ରାଜା ଧ୍ରୃତରାଷ୍ଟ୍ରଙ୍କୁ ପରାମର୍ଶ ଦେଇଥିଲେ । ଏହିସବୁ କାରଣରୁ ସେ ଦୁଷ୍ଟ ଦୁର୍ଯ୍ଯୋଧନର କ୍ରୋଧର ଶିକାର ହୋଇଥିଲେ  । ଶକୁନି ଥିଲେ ଧ୍ରୃତରାଷ୍ଟ୍ରଙ୍କର ଶାଳକ ଦୁର୍ଯ୍ଯୋଧନର ଅତି ପ୍ରିୟପାତ୍ର ମାମୁଁ । ଶକୁନି ସଦାବେଳେ ଖଳଚିନ୍ତା ଦ୍ବାରା ଦୁର୍ଯ୍ଯୋଧନକୁ ପ୍ରଭାବିତ କରୁଥିଲେ । ପାଣ୍ଡବ ମାନଙ୍କର ଅନିଷ୍ଟ କରିବା ପାଇଁ ଶକୁନି ଦୁର୍ଯ୍ଯୋଧନକୁ ପରାମର୍ଶ ଦେଉଥିଲେ । ନିଜର ଜ୍ଯେଷ୍ଟପୁତ୍ର ଦୁର୍ଯ୍ଯୋଧନ ପ୍ରତି ଅନ୍ଧମୋହ ରହିଥିବା ଯୋଗୁଁ ଧୃତରାଷ୍ଟ୍ର ବିଦୁରଙ୍କ ସତ୍ ପରାମର୍ଶ ପ୍ରତି କର୍ଣ୍ଣପାତ କରି ନ ଥିଲେ ବରଂ ଦୁର୍ଯ୍ଯୋଧନ ଗାଳି ଓ ଅପମାନ ଦେଇ ବିଦୁରଙ୍କୁ ରାଜ ପରିବରରୁ ବିତାଡିତ କରିଦେଇଥିଲେ । ପାପରେ ଭାରାକ୍ରାନ୍ତ ହସ୍ତିନାପୁରେ ଆଉ ରହିବାକୁ ବିଦୁରଙ୍କର ମନ ବଳିଲା ନାହିଁ । ସେ ଦୀନ ହୀନ ଭାବରେ ଅନ୍ଯତ୍ର ବସବାସ କରି ରହିବାକୁ ଲାଗିଲେ । ମହାଭାରତ ଯୁଜ୍ଞକୁ ଏଡାଇବା ପାଇଁ ଯେତେବେଳେ ଶ୍ରୀକୃଷ୍ଣ ଧୃତରାଷ୍ଟ୍ରଙ୍କୁ ପରାମର୍ଶ ଦେବା ସକାଶେ ହସ୍ତିନାପୁର ଆସିଥିଲେ, ସେତେବେଳେ ସେ ଦୁର୍ଯ୍ଯୋଧନର ଆତିଥ୍ଯ ଗ୍ରହଣ ନ କରି ବିଦୁରଙ୍କ କୁଟୀରରେ ଶାଗ ଭାତ ଖାଇ ସନ୍ତୋଷ ଲାଭ କରିଥିଲେ । ବିଦୁର ଥିଲେ ଜଣେ କୃଷ୍ଣ ଭକ୍ତ । 

ମହାଭାରତ ଯୁଦ୍ଧ ହେବା ପୂର୍ବରୁ ବିଦୁର ସଂସାର ପ୍ରତି ସମସ୍ତ ଆସକ୍ତି  ତ୍ଯାଗ କରି ତୀର୍ଥ ଭ୍ରମଣ ଉଦ୍ଦେଶ୍ୟରେ ବାହାରି ଯାଇଥିଲେ । ବହୁକାଳ ଧରି ଭ୍ରମଣ କରୁ କରୁ ବଦ୍ରିକା ଆଶ୍ରମ ନିକଟରେ ଦୈବାତ୍ ଦିନେ କୃଷ୍ଣଭକ୍ତ ଉଦ୍ଧବଙ୍କ ସହିତ ତାଙ୍କର ସାକ୍ଷାତ ହୁଏ । ବିଦୁର ଶ୍ରୀକୃଷ୍ଣଙ୍କ କଥା ଜାଣିବାକୁ ଇଛା ପ୍ରକାଶ କରିବାରୁ ଉଦ୍ଧବ କାନ୍ଦି ଉଠିଲେ । ପରମ ପୁରୁଷଙ୍କ ମହାପ୍ରୟାଣ ବୃତ୍ତାନ୍ତ ସେ ବନ୍ଧୁ ବିଦୁରଙ୍କ ନିକଟରେ ପ୍ରକାଶ କଲେ । ଏହା ଶୁଣି ବିଦୁର ମଧ୍ଯ ଅଶ୍ରୁ ସମ୍ବରଣକରି ପାରି ନ ଥିଲେ । ଉଦ୍ଧବ ବିଦାୟ ନେବା ପୂର୍ବରୁ ବିଦୁରଙ୍କୁ କହିଥିଲେ, ଆପଣ ମୈତ୍ରେୟ ମୁନିଙ୍କ ଆଶ୍ରମକୁ ଯାଇ ସେଠାରେ କିଛିକାଳ ଅବସ୍ଥାନ କରନ୍ତୁ । ତାଙ୍କ ନିକଟରୁ ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ଅନେକ ବୃତ୍ତାନ୍ତ ଶୁଣିପାରିବେ । 

ବିଦୁର ଯାଇ ପହଞ୍ଚିଲେ ମୈତ୍ରେୟ ଋଷିଙ୍କ ଆଶ୍ରମରେ । ବିଦୁରଙ୍କୁ ଦେଖି ମୁନିବର ଅତ୍ଯନ୍ତ ଆନନ୍ଦିତ ହୋଇ ଯଥାବିଧି ସ୍ବାଗତ ଜଣାଇଥିଲେ । ବିଦୁର ଭଗଵାନଙ୍କର ଜଣେ ଭକ୍ତ ଥିଲେ । ସେ ଗୃହତ୍ଯାଗୀ ସନ୍ନ୍ୟାସୀ ରୂପେ ତୀର୍ଥ ଭ୍ରମଣ କରୁଥିବା ଜାଣି ମୈତ୍ରେୟ ମୁନି ତାଙ୍କୁ ଆଶ୍ରମରେ ରଖି ଭଗଵାନଙ୍କର ଅବତାର ଲୀଳା ଆଦି ଅନେକ ତତ୍ତ୍ବ ଅବଗତ କରାଇଥିଲେ । 
==============
*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର*

Post a Comment

0 Comments