ବିଷଧର ତକ୍ଷକ ସର୍ପର ଦଂଶନରେ ରାଜା ପରୀକ୍ଷିତ ପ୍ରାଣ ହରାଇବେ ବୋଲି କିଏ ଓ କାହିଁକି ଅଭିଶାପ ଦେଇଥିଲେ ।

ରାଜା ପରୀକ୍ଷିତ ଥିଲେ ମହାଭାରତ ଯୁଦ୍ଧରେ କୌରବସେନାଙ୍କ ଚକ୍ରବ୍ଯୁହ ମଧ୍ଯରେ ଯୁଦ୍ଧ କରି ମୃତ୍ୟୁ ବରଣ କରିଥିବା ବୀର ଅଭିମନ୍ୟୁଙ୍କର ପୁତ୍ର । ଅର୍ଜ୍ଜୁନ ଓ ସୁଭଦ୍ରାଙ୍କର ଔରସରୁ ଜାତ ଏହି ଅଭିମନ୍ୟୁ ଥିଲେ ତାଙ୍କ ପିତାଙ୍କ ପରି ଜଣେ ମହାଯୋଦ୍ଧା । ତାଙ୍କୁ କୌରବ ସେନା ଚତୁର୍ଦ୍ଦିଗରୁ ଘେରିଯାଇ ଅତି ଅନ୍ଯାୟ ଭାବରେ ହତ୍ୟା କରିଥିଲେ । ମହାଭାରତ ଯୁଦ୍ଧରେ କୌରବ ସେନା ପରାଜୟ ବରଣ କରିଥାନ୍ତି ଏବଂ ଖଳ ଦୁର୍ଯ୍ଯୋଧନ ପ୍ରାଣ ବଞ୍ଚାଇବାକୁ ପଳାୟନ କରିଥାଏ । ଏହି ଅବସ୍ଥାରେ ସେ ପରାଜୟର ଗ୍ଲାନିରେ ମ୍ରିୟମାଣ ହୋଇ ତାର ବନ୍ଧୁ ଅଶ୍ବତ୍ଥମାକୁ ଅନୁରୋଧ କରେ ପାଣ୍ଡବ କୁଳକୁ ଅପାଣ୍ଡବା କରିଦେବା ପାଇଁ । ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରା ସେତେବେଳେ ଗର୍ଭବତୀ ଥିଲେ । ବ୍ରହ୍ମାସ୍ତ୍ର ପ୍ରୟୋଗ କରି ମାତୃଗର୍ଭରେ ରହିଥିବା ଶିଶୁକୁ ନିପାତ କରିଦେବା ପାଇଁ ସେ ଅଶ୍ବତ୍ଥମାକୁ ପରାମର୍ଶ ଦିଏ ।
ଖଳ ଦୁର୍ଯ୍ଯୋଧନର ପ୍ରରୋଚନାରେ ଅଶ୍ବତ୍ଥମା ବ୍ରହ୍ମାସ୍ତ୍ର ପ୍ରୟୋଗ କରିବା ବେଳେ  ପାଣ୍ଡବ ମାନଙ୍କର ବନ୍ଧୁ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ଦ୍ବାରା ସେହି ଅସ୍ତ୍ରକୁ ନଷ୍ଟ କରିଦେଇ ଉତ୍ତରାର ଗର୍ଭରେ ଥିବା ଶିଶୁର ପ୍ରାଣ ରକ୍ଷା କରିଥିଲେ । ଏହି ଶିଶୁ ଥିଲେ ପରୀକ୍ଷିତ । ପାଣ୍ଡବମାନେ ଯୁଦ୍ଧରେ ବିଜୟୀ ହେଲେ ଏବଂ ଯୁଧିଷ୍ଠିର ରାଜସିଂହାସନ ଆରୋହଣ କଲେ । କିଛିକାଳ ପରେ ପାଣ୍ଡବମାନଙ୍କର ବନ୍ଧୁ ଶ୍ରୀକୃଷ୍ଣଙ୍କର ମହାପ୍ରୟାଣ ସମ୍ବାଦ ପାଇ ପାଣ୍ଡବ ପାଞ୍ଚଭାଇ ଅତିଶୟ ମର୍ମାହତ ହୋଇ ଦ୍ରୌପଦୀଙ୍କ ସହ ମହାପ୍ରସ୍ଥାନ ପଥରେ ଯାତ୍ରା କରିବା ପୂର୍ବରୁ ଯୁଧିଷ୍ଠିର ତାଙ୍କ ନାତି ପରୀକ୍ଷିତଙ୍କୁ ରାଜସିଂହାସନରେ ଅଧିଷ୍ଠିତ କରିଥିଲେ ।
      ଦିନେ ରାଜା ପରୀକ୍ଷିତ ମୃଗୟା କରିବାକୁ ବାହାରି ପଥ ହୁଡି ଘଞ୍ଚ ଅରଣ୍ଯ ମଧ୍ଯରେ କ୍ଷୁଧା ଓ ପିପାସାରେ ଅତିଶୟ ଆକ୍ରାନ୍ତ ହୋଇପଡିଲେ । ତାଙ୍କ ସହିତ ଯାଇଥିବା ସୈନ୍ୟସାମନ୍ତ ପଛରେ କେଉଁଠି ରହିଗଲେ,ସେ ଜାଣିପାରିଲେ ନାହିଁ । ଅତ୍ଯନ୍ତ କାତର ଅବସ୍ଥାରେ ରାଜା ଏଣେତେଣେ ବୁଲୁବୁଲୁ ଏକ ତପୋବନ ତାଙ୍କର ଦୃଷ୍ଟି ଗୋଚର ହେଲା । ସେହି ତପୋବନ ମଧ୍ଯରେ ଜଣେ ଋଷି ଧ୍ଯାନସ୍ଥ ଅବସ୍ଥାରେ ବସିଥିଲେ । ରାଜା ତୃଷ୍ଣା ନିବାରଣ ନିମନ୍ତେ ଋଷିଙ୍କ ନିକଟକୁ ଧାଇଁ ଯାଇ ଜଳ ମାଗିଲେ । ଋଷି କୌଣସି ଉତ୍ତର ନ ଦେବାରୁ ତୃଷାର୍ତ୍ତ ରାଜା ଧୈର୍ଯ୍ୟ ହରାଇ ବସିଲେ । ସେ କ୍ରୋଧବଶତଃ ନିକଟରେ ପଡିଥିବା ଏକ ମୃତ ସର୍ପକୁ ତୀରର ଅଗ୍ରଭାଗରେ ତଳୁ ଉଠାଇ ମୁନିଙ୍କ ଗଳାରେ ପକାଇ ଦେଇ ଜଳ ଅନ୍ବେଷଣରେ ଅନ୍ଯତ୍ର ଚାଲି ଯାଇଥିଲେ । ଏହି ମୁନିଙ୍କର ନାମ ଥିଲା ଶମୀକ । ମୁନିଙ୍କର ପୁତ୍ର ଶୃଙ୍ଗୀ କିଛି ସମୟ ପରେ ସେଠାରେ ପହଞ୍ଚି ପିତାଙ୍କ ଗଳାରେ ଏକ ମୃତ ସର୍ପ ପଡିଥିବାର ଦେଖି କ୍ରୋଧରେ ଜର୍ଜରିତ ହୋଇ ଉଠିଲା ଏବଂ ଅଭିଶାପ ଦେଇ କହିଲା, ଯାହାଙ୍କ ଦ୍ବାରା ମୋର ପିତା ଏପରି ଅପମାନିତ ହୋଇଛନ୍ତି, ସେ ଆଜିଠାରୁ ସାତଦିନ ମଧ୍ଯରେ ବିଷଧର ତକ୍ଷକ ସର୍ପର ଦଂଶନରେ ପ୍ରାଣ ହରାଇବେ । ଧ୍ଯାନ ଭଙ୍ଗ ହେବା ପରେ ମୁନିବର ଶମୀକ ତାଙ୍କ ପୁତ୍ର ଶୃଙ୍ଗୀର କ୍ରୋଧ ଓ ଅଭିଶାପର କଥା ଜାଣି ଘୋର ମର୍ମାହତ ହେଲେ ଏବଂ ପୁତ୍ରକୁ ତିରସ୍କାର କରିବାକୁ ଲାଗିଲେ । ସେ ଧ୍ଯାନ ଯୋଗେ ଜାଣିପାରିଲେ, ଏହି ଅଭିଶାପ ପଡିଛି ଦେଶର ଧର୍ମାତ୍ମା ରାଜା ପରୀକ୍ଷିତଙ୍କ ଉପରେ । ସେ ଶୃଙ୍ଗୀକୁ କହିଲେ,ତୁ ଏ କ'ଣ କଲୁ ପୁତ୍ର ? ରାଜା ତୃଷାର୍ତ୍ତ ହୋଇ ଜଳ ମାଗିବା ସମୟରେ କେହି ଶୁଣିପାରିଲ ନାହିଁ ? ମୁଁ ସେତେବେଳେ ସମାଧିସ୍ଥ ଅବସ୍ଥାରେ ଥିଲି । ତୁମେ ସବୁ ତୃଷାର୍ତ୍ତ ରାଜାଙ୍କର କଷ୍ଟ ନିବାରଣ କରିପାରିଲ ନାହିଁ ? ରାଜା କ୍ରୋଧାନ୍ବିତ ହେବା ସ୍ବାଭାବିକ କଥା । ଶମୀକ ଏହି ଅଭିଶାପ କଥା ମହାରାଜାଙ୍କୁ ଜଣାଇଦେଲେ । ପୁତ୍ରର ଏହି ଅଭିଶାପ ଖଣ୍ଡନ ନିମନ୍ତେ ସେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ । 
       ପରୀକ୍ଷିତ ମହାରାଜା ଏହି ଦୁଃସମ୍ବାଦ ପାଇ ସ୍ତମ୍ଭୀଭୂତ ହୋଇପଡିଲେ । ସେ ନିଜ ଅପରାଧ ସ୍ବୀକାର କରିବା ସଙ୍ଗେ ସଙ୍ଗେ ମୃତ୍ୟୁ ବରଣ କରିଵା ନିମନ୍ତେ ପ୍ରସ୍ତୁତ ହେବାକୁ ଲାଗିଲେ । ସେ ତାଙ୍କ ପୁତ୍ର ଜନ୍ମେଜୟଙ୍କୁ ରାଜ୍ୟଭାର ଅର୍ପଣ କରି ରାଜଵେଶଭୂଷା ପରିତ୍ୟାଗପୂର୍ବକ ଗଙ୍ଗାତୀରରେ କୁଶ ଆସନ ବିଛାଇ ଵସିରହିଲେ ଏବଂ ଅନଶନ କରି ଦେହତ୍ୟାଗ କରିବେ ବୋଲି ସ୍ଥିର କଲେ । ଏହି ଖଵର ରାଜ୍ୟର ଚତୁର୍ଦ୍ଦିଗରେ ଵିଜୁଳି ଵେଗରେ ଖେଳିଗଲା । ମାତ୍ର ସାତଦିନ ମଧ୍ଯରେ ରାଜାଙ୍କର ମୃତ୍ୟୁ ହେବ । ସମସ୍ତ ପ୍ରଜା ହାୟ ହାୟ କରିବାକୁ ଲାଗିଲେ । ଏହି ସମୟରେ ମୁନିଋଷିମାନେ ଆସି ରାଜାଙ୍କ ନିକଟରେ ପହଞ୍ଚିଲେ । ଏହାଥିଲା ବ୍ରହ୍ମଜ୍ଞାନୀ ମହାତ୍ମାମାନଙ୍କର ଏକ ଅପୂର୍ବ ସମାବେଶ । ବ୍ଯାସଦେବଙ୍କ ପୁତ୍ର ମହାପବିତ୍ର ତରୁଣ ତପସ୍ବୀ ଶ୍ରୀଶୁକଦେବ ମଧ୍ଯ ଆସି ସେଠାରେ ଉପସ୍ଥିତ ହେଲେ । ବ୍ରହ୍ମଜ୍ଞ ଶୁକଦେବ ମୁନିଙ୍କୁ ଦେଖି ରାଜା ତାଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରି ଆସନରେ ବସାଇଲେ । ରାଜା କହିଲେ-ହେ ମହାଯୋଗୀ,ବର୍ତ୍ତମାନ ମୋ ଆସନ୍ନ ମୃତ୍ୟୁ ସମୟରେ ଆପଣମାନେ ଏଠାରେ ପଦାର୍ପଣ କରିଛନ୍ତି । ଭଗବାନ କଅଣ ଆପଣଙ୍କୁ ମୋର ମରଣ ସମୟରେ ମୋତେ ଉଦ୍ଧାର କରିବା ପାଇଁ ଏଠାକୁ ପଠାଇଛନ୍ତି ? କୁହନ୍ତୁ,ମୁଁ ଵର୍ତମାନ କଅଣ କଲେ ମୋର ପାପର ପ୍ରାୟଶ୍ଚିତ ହେଵ ? ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିଥିଵା ବ୍ଯକ୍ତି ପକ୍ଷରେ ସର୍ବୋତ୍ତମ ହିତକର କାର୍ଯ୍ୟ କଅଣ ? ମୁଁ ଵର୍ତ୍ତମାନ କାହାକୁ ସ୍ମରଣ କରିବି ? କାହାକୁ ଚିନ୍ତନ କରିବି ? କରିପରି ଉଦ୍ଧାର ପାଇବି ? 
=======(((=========)))========
*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦*

Post a Comment

0 Comments