ଜଣେ ଜୁଆଡି ପରି ମୁଁ ଜିଇଁଛି ଜୀବନ - ଡାଃ ଅମିୟ ରଞ୍ଜନ ମହାପାତ୍ର

ଯୁଆଡେ ଯାଇଛି ଜଟାୟୁ ପରି ଜାଳିଛି ଦେହ
ରକ୍ତ ଜୁଡୁବୁଡୁ ହେଲେ ବି ଛାତିର ପୃଷ୍ଠାରେ କାହାକୁ
ଲେଖିବାକୁ ଦେଇନି ମୋ ପରାଜୟ
ଝଡର ଡାଳରେ ତିଆରିଛି ଝାଟିମାଟିର ନୀଡ

ସମୟର ଶମୀବୃକ୍ଷରୁ ଓହ୍ଲେଇ ସଞ୍ଚିତ ସାହାସ
ସଜେଇଛି ବୃହନ୍ନଳାର ନପୁଂସକ ଚେହେରା
ସାରୁପତ୍ରର ସାମିଆନା ତଳେ ଛୁପେଇ ଶାମୁକାର ସଂସାର
ନିଃଶ୍ଵାସରେ ଲଗେଇଛି ନିଆଁ

ହେଲେ ଜୁହାରିଆ ହୋଇନି ଜୀବନ ପାଖରେ
ଯୁଗଯୁଗାନ୍ତର ହାରିଛି ଗୋଟାଏ ବିଜୟ ଆଶାରେ
ଅଥଚ ଅଭୀଷ୍ଟ ମିଳିଲା ବେଳକୁ ମୋ ମଇଳା ଅତୀତ
ଅଭିଶାପ ପରି ଠିଆହୋଇଛି ସାମ୍ନାରେ

ତୁମେ ମୋ ଆଙ୍ଗୁଠି ଖୋଜିଖୋଜି
ପହଞ୍ଚିଛ ଯେତେବେଳେ ମୋ ଅସହାୟତା ପାଖରେ
ଦେଖିଛ, ବୁଢାବାଘ ଏବେ ବି ବଞ୍ଚିଛି ପୁରୁଣା ଦମ୍ଭରେ
ମୋ ଜିଭ ଖୋଜିଖୋଜି ଯେତେବେଳେ
ପହଞ୍ଚିଛ ମୋ କଥା ପାଖରେ
ମୁଁ  ଚୁପଚାପ ବସିଛି ନୀରବତା ନିକଟରେ

କାରଣ, ମୁଁ ମୁହଁ ଖୋଲିଲେ
ବାତ୍ୟା ଆସିଯିବ ଲହଡି ପିଠିରେ
ମୋ କଟାଆଙ୍ଗୁଠିରୁ ନିଗୁଡୁଥିବା
ରକ୍ତର ରେରେକାରରେ ଭୀତତ୍ରସ୍ତ ତମ ବୈଶାଖ ମାସ
କାଳେ ତମେ ଫୋପାଡିଦେଇଥିବା
ପିଆଶାଳ କାଠର ଟୁକୁରାରେ
ମୁଁ ତିଆରିବି ଗୋଟାଏ ନୂଆ ବନସ୍ତ । 

Post a Comment

1 Comments