ପୁରୁଷ - ବିନୟ ମହାପାତ୍ର


ପୌରୁଷ ମୋ ହାରିଯାଏ,
ନଇଁଯାଏ, ଥକିଯାଏ, ଝୁଙ୍କିଯାଏ,
ଦୁଇ ବୁନ୍ଦା ଅଶ୍ରୁ ସାମନାରେ,
ବୁନ୍ଦାଏ ଶିଶୁସୁଲଭ ଖିଲି ଖିଲି ହସରେ,
ପ୍ରଣୟୀର ବାହୁ ବନ୍ଧନରେ,
ସତେ ଅବା ମନ୍ତ୍ରମୁଗ୍ଧ ସାପଟିଏ,
ଅଜାଣତେ ମାଡିଚାଲେ,
ବିନ୍ ର ସୁରେ ସୁରେ ।

ହାତରୁ ଗାଣ୍ଡିବ ଖସିଯାଏ,
ଅର୍ଜୁନ ସେ ବସିଯାଏ
ଜନାର୍ଦ୍ଦନ ପାଦ ପଙ୍କଜରେ ।
ଅଶ୍ରୁଳ ଆଖିରେ କାକୁସ୍ତ ମନନେଇ,
ଭୂଲିଯାଏ ପୁରୁଷତ୍ୱ ନିଜ ପୌରୁଷର ଗାଥା
କେଉଁ ମାୟା ଜାଲରେ ଛନ୍ଦି ହୋଇଯାଏ ।

ଏହା କି ପୌରୁଷ ?
ତେବେ କାପୁରୁଷ କୁହନ୍ତି କାହାକୁ?
କଠୋର କର୍କଶ ନିର୍ଦ୍ଦୟୀ ପୁରୁଷତ୍ୱ
ହଜିଯାଏ, ଲୁଚିଯାଏ ନାରୀତ୍ୱର ଆଢୁଆଳେ ।
ବିଚିତ୍ର ଏ ଅର୍ଦ୍ଧନାରୀଶ୍ୱର ରୂପ,
ଶୋଳଅଣା ପୁରୁଷତ୍ୱ ନଥାଏ ଜଗତେ ।
ପୁରୁଷ ପ୍ରକୃତି, ମୁଦ୍ରାର ଉଭୟ ପାର୍ଶ୍ୱରେ
ଗୋଟିଏ ସ୍ୱରୁପର ଭିନ୍ନ ଭିନ୍ନ ରୂପ,
ଜଳଧୀ ଜଳରେ ଲବଣ ଓ ପାଣିର ବନ୍ଧନ,
କେତେ ଲୁଣ ଆଉ କେତେ ପାଣି,
ହୁଏ ନାହିଁ ଜାଣି,
ସ୍ୱରୂପେ ସେ ଏକ ଏକାକାର,
ଏକ ଆରେକ ବିନା ହାରିଯାଏ ପରିଚୟ ତାର।

ସିଏ ତ ସୌରେନ୍ଧ୍ରୀ ଥିଲା,
ଅର୍ଜୁନର ପୌରୁଷ ସାଥେ ଚାଲୁଥିଲା
ଅଜ୍ଞାତବାସରେ ଅର୍ଜୁନର ଢାଲପରି,
ଅନ୍ୟ ଏକ ଯୁଦ୍ଧ ଜିତିଗଲା ।
ଶ୍ରୀଖଣ୍ଡି ସେ ନାରିତ୍ୱର ଛଦ୍ମାବରଣେ,
ପୌରୁଷର ପରିକାଷ୍ଟା ମହା ଭାରତରେ
ପିତାମହ ଭୀଷ୍ମଙ୍କ ହାସ୍ତୁ ଅସ୍ତ୍ର ଖସାଇଲା ।

ପ୍ରକୃତି ପୁରୁଷ ଏକ ଆରେକର ପରିପୁରକ,
ଏକ ବିନା ଆରେକ ସ୍ଥିତି ଗତି ଶୁନ୍ୟ,
ପୁରୁଷ ପୁରୁଷ ନୁହେଁ ଅର୍ଦ୍ଧ ନାରୀଶ୍ୱର,
ସେ ହସେ ସିନା, କାନ୍ଦେ ନାରୀପରି ।
ମାଆ ଠାରୁ ଅଧିକ ମମତାମୟ,
ନାରୀ ଠାରୁ ଅଧିକ କରୁଣାମୟ,
ହେଲେ ଏ କି ବିଡମ୍ବନା,
କାନ୍ଦେ ସିନା ଲୁଚି ଲୁଚି,
ଲୁହ ତାର ପିଇଯାଏ ନିରବରେ ।
ମମତା ତା ଲୁଚିଯାଏ ସନ୍ତାନକୁ
ଅନୁଶାସନ ଶିଖାଇବା ପ୍ରକ୍ରୀୟାରେ,
ପୁରୁଷ ଭିତରର ନାରୀ,
ବାପାର ଛାତି ତଳେ
ମାଆର କୋମଳ ହୃଦୟ,
ଲୁଚି ରହେ ସବୁ ବେଳେ,
କର୍ତ୍ତବ୍ୟ-ଦାୟିତ୍ୱବୋଧର,
କଠୋର ଖୋଳପା ଭିତରେ ।
-----------------------------------
ପଟିଆ, ଭୂବନେଶ୍ୱର, ଓଡିଶା
binay.mohapatra2010@gmail.com

Post a Comment

0 Comments