ନୀଳକଣ୍ଠବାବୁ ଜଣେ ଉତ୍ତମ ସଂସ୍କାର
ସମ୍ପନ୍ନ ବ୍ୟକ୍ତି । ସେ ପୁରୋହିତ ଥିବାରୁ ପ୍ରତିଦିନ ଭଗବାନଙ୍କୁ ଭକ୍ତିପୂତ ପୂଜା ଅର୍ଚ୍ଚନା
କରନ୍ତି, ଭଜନ କୀର୍ତ୍ତନ
କରନ୍ତି । ପୁରୋହିତ ଜୀବନଚର୍ଯା ମଧ୍ୟରେ ନିଜର ଏକ ମାତ୍ର ପୁତ୍ର ମହେନ୍ଦ୍ରକୁ ମଧ୍ୟ ନୀତି
ନୈପୁଣ୍ୟରେ ବଢାଇଥାନ୍ତି । ଯା’ ଫଳରେ ମହେନ୍ଦ୍ର ବାପାଙ୍କ ସଂସ୍ପର୍ଶରେ ଆସି ବାପାଙ୍କ ଚଲାପଥକୁ
ଅନୁକରଣ କରି ସେ ଜଣେ ଉତ୍ତମ ସଂସ୍କାର ଓ ଶିଷ୍ଟାଚାର ସମ୍ପନ୍ନ ବ୍ୟକ୍ତି ରୂପେ ନିଜକୁ ସମାଜରେ
ପ୍ରତିପାଦନ କରେ । ସାଧୁବାଦ ମଣିଷଟିଏ ହୋଇ।
ମହେନ୍ଦ୍ର ବାପାଙ୍କ ଭଳି ଭଗବାନଙ୍କ ଉପରେ
ପ୍ରଗାଢ ଭକ୍ତି ଓ ବିଶ୍ଵାସ ରଖି ପ୍ରତି କଥାକୁ ଭଗବାନଙ୍କ ଠାରେ ନ୍ୟସ୍ତ କରେ । ସଂସାରରେ
ଚଳପ୍ରଚଳ ହୁଏ ସତ କିନ୍ତୁ ସାଂସାରିକ ମୋହ ମାୟାରେ କେବେ ବି ପତିତ ହୁଏନା ।
ଅଭିଭାବକମାନେ ନିଜ ସନ୍ତାନକୁ କେବଳ ଜଣେ ଭଲ ମଣିଷଟିଏ କରି ଗଢିତୋଳି ଦେଲେ ସେତିକିରେ ତ
କଥା ସରେନା, ସେଇ ମାନଙ୍କର
ଦାମ୍ପତ୍ୟ ଜୀବନର କାମନା କରି ସେଇମାନକୁ ବିବାହ ବନ୍ଧନରେ ବାନ୍ଧିବା ଲାଗି ତତ୍ପର ହୁଅନ୍ତି । ସବୁଠାରୁ
ବଡ ଚିନ୍ତା ଓ ଦାୟିତ୍ଵରୁ ମୁକୁଳିବା ଲାଗି।
ପୁଅର ପ୍ରାପ୍ତ ବୟସ ହେବାରୁ ନୀଳକଣ୍ଠବାବୁ
ଓ ତାଙ୍କ ସ୍ତ୍ରୀ ଉଭୟ ମିଶି ମହେନ୍ଦ୍ରଙ୍କ ବାହାଘର କରିବା ଲାଗି ନିଷ୍ପତ୍ତି ନେଲେ । ଏହି କଥା
ଉଭୟ ପିତାମାତା ପୁଅକୁ ଦିନେ ଜଣାଇଲେ । ପୁଅ କିନ୍ତୁ ପ୍ରଥମେ ପ୍ରଥମେ ଉପର ମୁହାଁ ହୋଇ ମନା କରି
ଦେଲା ଏବଂ ପରେ ବାପା, ମା’ଙ୍କ ଅନୁରୋଧ କ୍ରମେ ନିଜର ସମ୍ମତି ଜଣାଇଲା ।
ଏଥର ନୀଳକଣ୍ଠବାବୁ ଓ ତାଙ୍କ ସ୍ତ୍ରୀ
ଖୁସିରେ ଆତ୍ମହରା । ଝିଅ ଖୋଜା ଆରମ୍ଭ ହେଲା । ତାଙ୍କରି ଗାଁକୁ ଲାଗି ରହିଥିବା ଏକ ପାଖ ଗାଁକୁ
ଝିଅ ଦେଖିବା ଉଦ୍ଦେଶ୍ୟରେ ବାହାରି ଗଲେ ଏବଂ ଠିକଣା ଜାଗାରେ ଯାଇ ପହଞ୍ଚିଲେ । ପ୍ରଥମେ ଉଭୟ
ପରିବାର ମଧ୍ୟରେ ପରିଚୟ ପ୍ରଦାନ କରି ଯଥାମାନ୍ୟ କଲେ । ପରେ ଝିଅର ବାପା ପୀତାମ୍ବର ବାବୁ ଓ ତାଙ୍କ
ସ୍ତ୍ରୀ ଉଭୟ ମିଶି ଅତିଥି ଅଭ୍ୟର୍ଥନା କଲେ ।
ପ୍ରସ୍ତାବ ରୀତିନୀତି ଅନୁଯାୟୀ ପୀତାମ୍ବର
ବାବୁ ପୁଅ ସମ୍ପର୍କରେ କିଛି ବୁଝିବାକୁ ଯାଇ ମହେନ୍ଦ୍ରଙ୍କ ସାମ୍ନାରେ କିଛି ପ୍ରଶ୍ନ ଉପସ୍ଥାପନ
କଲେ ।
ପୀତାମ୍ବରବାବୁ ପଚାରିଲେ, ‘ବାପା! ତୁମେ କଣ
କର?’
ମହେନ୍ଦ୍ର ପ୍ରତିଉତ୍ତରରେ କହିଲେ, ‘ଆଜ୍ଞା, ମୁଁ କିଛି କରେନି, ଯାହା କରନ୍ତି
ଭଗବାନହିଁ କରନ୍ତି’
ପୀତାମ୍ବରବାବୁ ନିଜର ଚିନ୍ତା ଶକ୍ତି ହରାଇ
ବସିଲେ କିଛି କ୍ଷଣ ପାଇଁ, ମହେନ୍ଦ୍ରଙ୍କ କଥା ଶୁଣି ।
ଦୀର୍ଘ ନିଶ୍ଵାସ ଛାଡି ପୁଣି ସେ ପଚାରିଲେ, ‘ତା ହେଲେ ମୋ ଝିଅ
କେମିତି ଚଳିବ?’
ଆପଣଙ୍କ ଝିଅଙ୍କୁ ଭଗବାନ ଚଳାଇବେ । କାରଣ
ପ୍ରତ୍ୟେକ ଜୀବଜନ୍ତୁ, ମନୁଷ୍ୟ, ଗଛଲତା ସମସ୍ତେ ତାଙ୍କରି ଇସାରାରେହିଁ ଚଳନ୍ତି । ତାଙ୍କ ଇଚ୍ଛା
ବିରୁଦ୍ଧରେ ଗଛର ପତ୍ରଟିଏ ହଲିବା ମଧ୍ୟ ଅସମ୍ଭବ ବୋଲି ମହେନ୍ଦ୍ର ନିଜର ଉତ୍ତରଟି ବ୍ୟକ୍ତ କଲେ ।
ପୀତାମ୍ବରବାବୁ ପୁଣି ପ୍ରଶ୍ନ କଲେ, ‘ତା’ ହେଲେ ତୁମେ
ଏଠାକୁ କାହିଁକି ଆସିଛ?’
ମହେନ୍ଦ୍ରଙ୍କ ଉତ୍ତରଟା ହେଲା, ‘ଭଗବାନଙ୍କ
ଇଚ୍ଛାରେ ମୁଁ ଏଠାକୁ ଆସିଛି ଝିଅ ଦେଖିବାଲାଗି’
ଟିକିଏ ଗମ୍ଭୀର ସ୍ଵରରେ ପୀତାମ୍ବରବାବୁ
ପୁଣି ପଚାରିଲେ, ‘ତେବେ ତୁମେ କ’ଣ ମୋ ଝିଅକୁ ବାହା
ହେବ?’
ଏଥିରେ ଭଗବାନଙ୍କ ଯଦି ସମ୍ମତି ଥାଏ, ତେବେ ମୁଁ
ନିଶ୍ଚୟ ବାହା ହେବି ବୋଲି କହିଲେ ମହେନ୍ଦ୍ର ।
ପୀତାମ୍ବରବାବୁ ମହେନ୍ଦ୍ରଙ୍କ କଥା ଶୁଣି
ଅବାକ୍ ହୋଇ ଚାହିଁ ରହିଲେ ଏବଂ ମନେ ମନେ ଭାବିଲେ ଏଇ ବୋଧେ ପାଗଳଟା; ତା’ ନହେଲେ ଇଏ
ବୈରାଗୀଙ୍କ ଭଳି କଥାବାର୍ତ୍ତା କରନ୍ତା କାହିଁକି? ଯଦିଓ ବୈରାଗୀ
ହୋଇଥାନ୍ତା ତା’ହେଲେ ବାହା ହେବା
ଲାଗି ଆସିନଥାନ୍ତା! ଏଇ କଥାକୁ ନେଇ ସେ ଦୋପଞ୍ଚରେ ରହିଲେ ।
କିଛି ସମୟ ପରେ ସ୍ଥିର ମନରେ ପୁଣି ଥରେ
ପ୍ରଶ୍ନ କଲେ, ‘ବାପ! ତୁମେତ
ପ୍ରତି କଥାରେ ଭଗବାନ ବୋଲି କୁହ, ତେବେ ତୁମେ ସଂସାର ବନ୍ଧନରେ କାହିଁକି ବାନ୍ଧି ହେବ?’
ମହେନ୍ଦ୍ର ଉତ୍ତରଟା ପ୍ରତିପାଦନ କରିବାକୁ
ଯାଇ କହିଲେ ‘ଆଜ୍ଞା!
ପଞ୍ଚଭୂତକୁ ନେଇ ସଂସାର ଗଢା । ଆକାଶ, ପୃଥିବୀ, ଜଳ, ବାୟୁ ଓ ଅଗ୍ନି । ଯେତେବେଳେ ଭଗବାନ ମୋତେ ଏହି ସଂସାରକୁ ପଠାଇଛନ୍ତି
ଏବଂ ଯେହେତୁ ମୁଁ ଏହି ପଞ୍ଚତତ୍ତ୍ଵ ସହିତ ସଂଶ୍ଳିଷ୍ଟ, ଏହି ପଞ୍ଚତତ୍ତ୍ଵ
ବିନା ମୁଁ ବଞ୍ଚିବା ଅସମ୍ଭବ । ତେଣୁ ମୁଁ ସାଂସାରିକ ଜୀବନ ଯାପନ କରି ସୁଦ୍ଧା, ସଂସାରର
ପ୍ରତ୍ୟେକ ବସ୍ତୁ ଉପଭୋଗ କଲେ ମଧ୍ୟ, ମୋର ସଂସାର ପ୍ରତି କୌଣସି ମୋହ ନାହିଁ । ତା’ ଛଡା ଭଗବାନ ତ
ସଂସାର ସୃଷ୍ଟି ଲାଗି ଉଭୟ ସ୍ତ୍ରୀ ଓ ପୁରୁଷ ଳିଙ୍ଗ ସୃଷ୍ଟି କରିଛନ୍ତି । ସ୍ତ୍ରୀ ଓ ପୁରୁଷ ଉଭୟ
ପରସ୍ପର ପରିପୂରକ । ଜଣକ ବିନା ଏହି ସୃଷ୍ଟିର ସ୍ଥିତି ବଜାୟ ରହିବା ସର୍ବଦା ଅସମ୍ଭବ । ତେଣୁ
କରି ମୁଁ ବାହା ଲାଗି ନିଷ୍ପତ୍ତି ନେଇ ଏଠାକୁ ଆସିଛି ।
ମହେନ୍ଦ୍ରଙ୍କ କଥାରେ ପୀତାମ୍ବରବାବୁଙ୍କ
ସୁପ୍ତ ଚେତନା ଜାଗି ଉଠିଲା । ସେ ମହେନ୍ଦ୍ରଙ୍କ ଏହି ଉକ୍ତିର ଗୂଢତତ୍ତ୍ଵକୁ ଠିକ୍ ଭାବେ
ବୁଝିପାରିଥିଲେ । ସେ ମନେ ମନେ ଭାବିଲେ ଯେ ୟା’ଠୁ ଜ୍ଞାନୀ ବୋଧେ ଆଉ କେହି ନାହାନ୍ତି । ମୋ ଝିଅ ପାଇଁ
ଏହି ଏକା ଉପଯୁକ୍ତ ବରପାତ୍ର । ୟା’କୁ ବାହାଦେଲେ ମୋ ଝିଅ ସୁଖରେ ସଂସାର କରିବ ବୋଲି ସେ ଏହି ବାହାଘର
ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ।
0 Comments