ଦିଅ କିଏ ପଦେ କହି ! - ପ୍ରଶାନ୍ତ କୁମାର ସାହୁ

ନିଦାଘ ବିଘାତ  ଆତପ ତପତ
   ଦେଲା ଯେବେ ଦେହ ଛୁଇଁ
କୃଷ୍ଣଚୂଡ଼ା ହସ  ଭରିଛି ରହସ୍ୟ
     ମନଟା ଉଠିଛି ଚ଼େଇଁ ,
ଦିଅ କିଏ ପଦେ କହି
ଦିଅ କିଏ ପଦେ କହି
କାହିଁ ମାଖେ ସେ ନାଲି ରଙ୍ଗ ସ୍ବପ୍ନ
ନିଦାଘରେ ପତ୍ରହୀନ ହୋଇ !
ସୁନାରୀ ସୁବର୍ଣ୍ଣ   ପାଗବାନ୍ଧି ମଗ୍ନ
      ଧରାକୁ ସେ ଚହଟାଇ
ରଜନୀ ମହକେ ନିଆଳୀ ସୁଗନ୍ଧେ
      ମଳୟ ପରଶ ପାଇ ,
ଦିଅ କିଏ ପଦେ କହି
ଦିଅ କିଏ ପଦେ କହି
କାହିଁକି  ଏମାନେ ମତୁଆଲା
ରଙ୍ଗ ପର୍ବ ସଜା କାହା ପାଇଁ !
କୋକିଳ ନୟନେ  ଅଲକତ ମାନେ
      କଣ୍ଠେ ମିଳନର ଗୀତି
ଆମ୍ବ ପଣସର    ଭରିଛି ଆସର
      ବହକି ଯାଉଛି ଛାତି ,
ଦିଅ କିଏ ପଦେ କହି
ଦିଅ କିଏ ପଦେ କହି
କାହିକିଁ ଏଇ ମଧୁର ପଙ୍ଗତ
ଝୁମାଝୁମା କା' ଲାଗି ଧରତି !
ତାରାଙ୍କ ଆଖିରେ   ଟିମ୍ ଟିମ୍ ହୋଇ
      ଚମକେ ସ୍ବପ୍ନିଳ ରାତି
ଦେହ ହୁଏ ସୀକ୍ତ  ମନ ଅଫୁରନ୍ତ
      ଦିବାନିଶି ଯାଏ ବିତି , 
ଦିଅ କିଏ ପଦେ କହି
ଦିଅ କିଏ ପଦେ କହି
କେବେ ଆସିବ ସେଇ ଶୁଭଦିନ
ନବ ଉନ୍ମେଷରେ ମଗ୍ନ ହୋଇ !
================
ଛତ୍ରଗଡ଼,ଖୋର୍ଦ୍ଧା

Post a Comment

0 Comments